ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଚୋରି, ସଙ୍ଗୀନ ଅଭିଯୋଗ ଆଣିଲା ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଅତ୍ୟନ୍ତ ସମ୍ବେଦନଶୀଳ କମିଶନ ଫାଇଲ ଚୋରି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିଜେଡି ବିଧାୟକ ଅରୁଣ ସାହୁ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ଲୋକଙ୍କୁ ବର୍ତ୍ତମାନର ସରକାର ଭୁଆଁ ବୁଲାଉଛନ୍ତି। ଫାଇଲ ସତରେ ହଜିଛି କି ଜାଣିଶୁଣି ହଜାଇ ଦିଆଯାଇଛି – ତାହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ନୟାଗଡ଼ ବିଧାୟକ ଅରୁଣ ସାହୁ ପ୍ରେସ୍ ମିଟ୍ କରି କହିଛନ୍ତି, “ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷିତ ରହି ପାରୁନାହାନ୍ତି, ସେ ଫାଇଲକୁ କ’ଣ ସୁରକ୍ଷା ଦେବେ? ବାଡ଼ ଯଦି ଫସଲ ଖାଇବ, ତେବେ କହିବା କାହାକୁ?” ଲୋକସେବା ଭବନରେ ଏତେ ସିସିଟିଭି ଥାଇ ମଧ୍ୟ ଫାଇଲ ଚୋରି ହେଉଛି, ତେଣୁ ଏହା ଜାଣିଶୁଣି କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅରୁଣ ସାହୁ ଆହୁରି କହିଛନ୍ତି, “ଏହା କେବଳ କମିଶନ ଫାଇଲ ହଜିବା ଘଟଣା ନୁହେଁ, ବରଂ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ସୁଶାସନ ପ୍ରତି ଏକ ବଡ଼ ପ୍ରଶ୍ନଚିହ୍ନ।” ଫାଇଲ ହଜିବା ଘଟଣାରେ ଯିଏ ସମ୍ପୃକ୍ତ ତା’ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନୋହିଲେ ବିରୋଧୀ ଦଳ ଭାବେ ଆନ୍ଦୋଳନ କରିବାକୁ ସେ ଚେତାବନୀ ଦେଇଛନ୍ତି।
ଅପରପକ୍ଷରେ, ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିର ଅଭିଯୋଗକୁ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ପୂର୍ବତନ ଆଇନ ମନ୍ତ୍ରୀ ସବୁକିଛି ଜାଣନ୍ତି। ତାଙ୍କ ଶାସନକାଳରେ ସେ ଗାତ ଖୋଳିଥିଲେ, ଏବେ ସେ ନିଜେ ସେଥିରେ ପଡ଼ିଯାଉଛନ୍ତି।”
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି, “ପ୍ରକୃତରେ ଏହି ଅଭିଯୋଗର ସତ୍ୟତା ଅଛି ନା ନାହିଁ, ସରକାର ସମୀକ୍ଷା କରିବେ।” ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଆହୁରି ଘନୀଭୂତ ହୋଇଛି।
