FeaturedLatestNews

ରାସ୍ତା ଶିଳାନ୍ୟାସକୁ ନେଇ ଗଣ୍ଡଗୋଳ, ଠେଲାପେଲା ମଧ୍ୟରେ ସାଂସଦଙ୍କ ହଟହଟା

ବାଲେଶ୍ବର (ସଂକେତ ଟିଭି): ରାସ୍ତା ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଗଣ୍ଡଗୋଳ ଏବଂ ଠେଲାପେଲା ମଧ୍ୟରେ ହେଲା ରାସ୍ତା ଶିଳାନ୍ୟାସ।

ଭୋଗରାଇ ବ୍ଲକ ଅନ୍ତର୍ଗତ ବାଲିମ ପଞ୍ଚାୟତର କେନ୍ଦୁପଦାଛକଠାରୁ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ୨.୪ କିଲୋମିଟର ନୂଆ ରାସ୍ତାର ଶିଳାନ୍ୟାସ ପାଇଁ ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଆସିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ପାଇଁ ୨ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।

ଶିଳାନ୍ୟାସ କାର୍ଯ୍ୟକ୍ରମ ବାବଦରେ ସ୍ଥାନୀୟ ବାଲିମ ପଞ୍ଚାୟତ ସରପଞ୍ଚ ଦୀପକ କୁମାର ଜେନା ଏବଂ ଅନ୍ୟ ପିଆରଆଇ ସଦସ୍ୟମାନଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା। ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରି ସେମାନେ ରାସ୍ତା ଉପରେ ବସି ସାଂସଦଙ୍କୁ ଅଟକାଇ ପ୍ରଶ୍ନ ପଚାରିଥିଲେ। ପ୍ରତିବାଦ ସମୟରେ ଠେଲାପେଲା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ଏହି ଗଣ୍ଡଗୋଳ ମଧ୍ୟରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ଗୌତମବୁଦ୍ଧ ଦାସ ରାସ୍ତାର ଶିଳାନ୍ୟାସ କରିଥିଲେ। ଅପରପକ୍ଷରେ ସାଂସଦ କହିଛନ୍ତି ଯେ ଶିଳାନ୍ୟାସ ସମୟରେ କୌଣସି ଗଣ୍ଡଗୋଳ କିମ୍ବା ଅପ୍ରୀତିକର ପରିସ୍ଥିତି ଉପୁଜି ନଥିଲା।