FeaturedLatestNews

ତାମିଲନାଡୁ ଗ୍ୟାସ୍ ଲିକ୍‌ରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ତାମିଲନାଡୁର ତିରୁଭଲ୍ଲୁରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଆହତ ଶ୍ରମିକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ବାର୍ତ୍ତାରେ କହିଛନ୍ତି ଯେ, ଏହି ଅଘଟଣରେ ସେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି। ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) ରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଦୁର୍ଘଟଣାର ତୁରନ୍ତ ପରେ ଓଡ଼ିଶା ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି। ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଆହତ ଶ୍ରମିକଙ୍କ ଉପଯୁକ୍ତ ଚିକିତ୍ସା ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇବା ନେଇ ଆଲୋଚନା କରିଛନ୍ତି। ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗ ରଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁରେ ପହଞ୍ଚି ଆହତଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସହାୟତା ଜାରି ରଖିଛନ୍ତି। ଏହି ଦୁର୍ଘଟଣାରେ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ: ଜିମାଣୀ ଜୁଆଙ୍ଗ (୧୯), ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ (୨୨), ଶିବାନୀ ଜୁଆଙ୍ଗ (୨୨) ଓ ଫୁଲମଣି ଜୁଆଙ୍ଗ।

ଓଡ଼ିଶା ସରକାରଙ୍କ ଟିମ୍‌ର ନେତୃତ୍ୱ ନେଉଛନ୍ତି ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ। ସଚିବଙ୍କ ସୂଚନା ଅନୁଯାୟୀ, ଜଣେ ମୃତ ଶ୍ରମିକଙ୍କ ମୃତଦେହକୁ ଚେନ୍ନାଇକୁ ଅଣାଯାଇ ଆଜି ବ୍ୟବଚ୍ଛେଦ କରାଯିବ। ଏହି ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଟିମ୍‌ର ସଦସ୍ୟ ଏମ୍.ଏମ୍. ପାଇକ ଚେନ୍ନାଇରେ ରହି ଯୁଗ୍ମ ଶ୍ରମ ଆୟୁକ୍ତ ଓ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି।

ଅନ୍ୟପଟେ, ରାଜେଶ ଅଗ୍ରୱାଲ ଏବଂ ବି.ବି.ଆଚାର୍ଯ୍ୟ ଚେନ୍ନାଇରେ ପହଞ୍ଚି ସିଧାସଳଖ ତିରୁଭଲ୍ଲୁର ଅଭିମୁଖେ ଯାଇଛନ୍ତି। ସେଠାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। କେତେକ ଆହତଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି। ଅନ୍ୟ ଜଣେ ମୃତ ଶ୍ରମିକଙ୍କ ମୃତଦେହ ତିରୁଭଲ୍ଲୁରରେ ରହିଛି। ଦୁର୍ଘଟଣା ପରେ ପ୍ରାୟ ୧୩୦ ଜଣ ଶ୍ରମିକଙ୍କୁ ଏକ କମ୍ୟୁନିଟି ହଲ୍‌ରେ ରଖାଯାଇ ସେମାନଙ୍କ ପାଇଁ ଖାଦ୍ୟ, ରହିବା ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିୟମିତ ଭାବେ ସ୍ଥିତିର ସମୀକ୍ଷା କରୁଥିବା ବେଳେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି। ଏହି ଦୁର୍ଘଟଣାରେ ଦୁଇ ଓଡ଼ିଆ ମହିଳାଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ଓଡ଼ିଶା ସରକାର ପୀଡ଼ିତ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି।