FeaturedLatestNewsPolitics

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ: ବିଜେଡିର ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର (ସଂକେତ ଟିଭି): ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବା ଉଦବେଗଜନକ ବୋଲି ମତ ଦେଇଛି ବିଜେଡି। ଚଳିତ ବର୍ଷ ରାଜ୍ୟର ପଞ୍ଚାୟତ ଗୁଡ଼ିକୁ ୫୩୦ କୋଟି ଟଙ୍କାର ଅନୁଦାନ ହ୍ରାସ ପାଇବ ବୋଲି ବିଜେଡି ଦାବି କରିଛି। ଡବଲ ଇଞ୍ଜିନ ସରକାରରେ ଅନୁଦାନ ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଉଥିବା ନେଇ ବିଜେଡି ବିଧାୟକ ଅରଣୁ ସାହୁ ତୀବ୍ର ଆକ୍ଷେପ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିବା ପୂର୍ବରୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି କରି ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପଞ୍ଚଦଶ ଅର୍ଥ କମିଶନ (୨୦୨୧-୨୬)ଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ ୪.୫୩ ପ୍ରତିଶତ ଅନୁଦାନ ମିଳିଥିବା ବେଳେ ଷୋଡ଼ଶ ଅର୍ଥ କମିଶନ (୨୦୨୬-୩୧)ଙ୍କ ସୁପାରିଶରେ ତାହା ୪.୪୨ ପ୍ରତିଶତକୁ ହ୍ରାସ ପାଇଛି। ଏହାଦ୍ୱାରା ଓଡ଼ିଶା ପ୍ରଭୂତ କ୍ଷତି ସହିବ ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି।

ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରି ବିଜେଡି ବିଧାୟକ ଆହୁରି କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫,୮୦୦ କୋଟି ଟଙ୍କାର ଅନୁଦାନ ମିଳିବାକୁ ଥିବା ବେଳେ ଟଙ୍କାଟିଏ ବି ଅନୁଦାନ ମିଳିଲାନାହିଁ। ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟ ଏହି ଯୋଜନାରେ ଓଡ଼ିଶା ଅନୁଦାନରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛି। ସେହିପରି ଜଳ ଜୀବନ ମିଶନ ଯୋଜନାରେ ବାର୍ଷିକ ୬ ହଜାର କୋଟି ଟଙ୍କା ଅନୁଦାନ ମିଳିବାକୁ ଥିବା ବେଳେ ଗତ ୨ ବର୍ଷ ମଧ୍ୟରେ ଟଙ୍କାଟିଏ ବି ଓଡ଼ିଶାକୁ ମିଳିଲା ନାହିଁ।

ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ଓଡ଼ିଶା ହକରୁ ବଞ୍ଚିତ ହେଲା ପରେ ମଧ୍ୟ କେନ୍ଦ୍ର ନିକଟରେ ମୁହଁ ଖୋଲିବା ପାଇଁ ସାହାସ ଜୁଟାଇ ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଲି ଅରୁଣ ସାହୁ ଅଭିଯୋଗ କରିଛନ୍ତି। ଗତ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ବଜେଟରେ ଆବଣ୍ଟିତ ଅର୍ଥ ଖର୍ଚ୍ଚ ନ କରିପାରିବାରୁ କେନ୍ଦ୍ର ଅନୁଦାନ କାଟି ଦେଉଛି ବୋଲି ସେ ଦର୍ଶାଇଛନ୍ତି।

ଯାହାବି ଅନୁଦାନ ରାଜ୍ୟକୁ ମିଳୁଛି, ତାହା ଆର୍ଥିକ ବର୍ଷ ଶେଷରେ ମିଳୁଥିବାରୁ ଖର୍ଚ୍ଚ ହୋଇପାରୁ ନାହିଁ। ରାଜ୍ୟ ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ଗ୍ରାମାଞ୍ଚଳରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ମିଳୁନଥିବାରୁ ଗ୍ରାମାଞ୍ଚଳରେ ପିଇବା ପାଣି ମିଳୁନାହିଁ।

ଷୋଡ଼ଶ ଅର୍ଥ କମିଶନଙ୍କ ନୂଆ ଫର୍ମୁଲା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଗତ ୨ ବର୍ଷ ଧରି କେନ୍ଦ୍ରୀୟ ଅନୁଦାନ ହ୍ରାସ ଏବଂ ରାଜ୍ୟ ବଜେଟରେ ବରାଦ ଅର୍ଥ ଖର୍ଚ୍ଚ ନହେବା ଫଳରେ ବିକାଶ ବାଧାପ୍ରାପ୍ତ ହୋଇଛି। ପୂର୍ବ ବିଜେଡି ସରକାରରେ ଆର୍ଥିକ ପରିଚାଳନାରେ ଦେଶର ୧ ନମ୍ବର ସ୍ଥାନରେ ଥିବା ଓଡ଼ିଶାର ଆର୍ଥିକ ସ୍ଥିତି ଆଜି ବିଗିଡ଼ି ଯାଇଛି ବୋଲି ସେ ଦର୍ଶାଇଛନ୍ତି।

ପ୍ରଚାର ସର୍ବସ୍ୱ ବିଜେପି ସରକାର ଓଡ଼ିଶାବାସୀଙ୍କ ନ୍ୟାୟ୍ୟ ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପିତ କରି ରାଜ୍ୟ ପାଇଁ ଅଧିକ ଅନୁଦାନ ଆଣନ୍ତୁ। ନଚେତ୍ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ବୋଲି ଅରୁଣ ସାହୁ ଚେତାବନୀ ଦେଇଛନ୍ତି।