EducationFeaturedLatestNews

ପାଠ୍ୟପୁସ୍ତକ ତ୍ରୁଟି ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ, ୭ ଦିନରେ ଦେବେ ରିପୋର୍ଟ

ଭୁବନେଶ୍ୱର (ସଂକେତ ଟିଭି): ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡ଼ା ଆଭିମୁଖ୍ୟ ଅବଲମ୍ବନ କରିଛନ୍ତି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଆଜି ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭିସି ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ ଏଭଳି ତ୍ରୁଟି କୌଣସି ଅବସ୍ଥାରେ ଗ୍ରହଣୀୟ ନୁହେଁ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିକୁ ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆଧାରରେ ଦୋଷୀ ଅଧିକାରୀ ଓ ସଂସ୍ଥାମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିପୂର୍ଣ୍ଣ ବହିଗୁଡ଼ିକ ମଧ୍ୟ ମାଗି ନେଇ ପରୀକ୍ଷା କରିଥିଲେ ଏବଂ ଏତେ ସଂଖ୍ୟକ ତ୍ରୁଟି କିପରି ହେଲା, ତାହା ପଚାରି ବୁଝିଥିଲେ।

ପ୍ରାରମ୍ଭିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ମୂଳଦୁଆ ହୋଇଥାଏ। ଏହି ସ୍ତରରେ ପଢ଼ାଯାଉଥିବା ପ୍ରତ୍ୟେକ ଶବ୍ଦ, ତଥ୍ୟ ଓ ଚିତ୍ର ଶିଶୁମାନଙ୍କ ଜ୍ଞାନଭଣ୍ଡାରର ଆଧାର ସୃଷ୍ଟି କରିଥାଏ। କିନ୍ତୁ ନୂଆ ଶିକ୍ଷାନୀତି ଅନୁସାରେ ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ଶହ ଶହ ତ୍ରୁଟି ଚିହ୍ନଟ ହୋଇଥିବା ଘଟଣା ରାଜ୍ୟରେ ତୀବ୍ର ଆଲୋଚନା ସୃଷ୍ଟି କରିଛି। ବିଶେଷକରି ‘ଓଡ଼ିଶା’ ବିଧାନସଭା ଚିତ୍ର ସ୍ଥାନରେ ‘କର୍ଣ୍ଣାଟକ’ ବିଧାନସଭା ଚିତ୍ର, ନିୟମଗିରିକୁ ଝାଡ଼ଖଣ୍ଡର ନିୟମଗିରି ଓ ସୁନନ୍ଦା ପଟ୍ଟନାୟକଙ୍କ ନାମକୁ ସନନ୍ଦା ପଟ୍ଟନାୟକ ବୋଲି ଭୁଲ୍ ଲେଖିବା ଘଟଣା ରାଜନୈତିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ବିଜେଡି ଏବଂ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। ବିଜେଡି ମୁଖପାତ୍ର ଡ଼. ଲେନିନ ମହାନ୍ତି କହିଛନ୍ତି ଯେ, ଏହା କେବଳ ସାଧାରଣ ପ୍ରୁଫ୍ ତ୍ରୁଟି ନୁହେଁ, ବରଂ ପିଲାଙ୍କ ଇତିହାସ, ଭୂଗୋଳ, ସଂସ୍କୃତି ଓ ଓଡ଼ିଆ ଅସ୍ମିତା ସମ୍ପର୍କରେ ଭୁଲ ଧାରଣା ସୃଷ୍ଟି କରିବା ଭଳି ଗୁରୁତର ବିଷୟ। ବିଜେଡି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର, ଉଚ୍ଚସ୍ତରୀୟ ତଦନ୍ତ ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ସେହିପରି କଂଗ୍ରେସ ଦଳ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଆସନ୍ତାକାଲି ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଛାତ୍ର କଂଗ୍ରେସ ଘୋଷଣା କରିଛି। ପିସିସି ସଭାପତି ଭକ୍ତ ଦାଶ କହିଛନ୍ତି ଯେ, ଏହା କେବଳ ମୁଦ୍ରଣ ତ୍ରୁଟି ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥା ପ୍ରତି ସରକାରଙ୍କ ଅବହେଳାର ଜ୍ୱଳନ୍ତ ଉଦାହରଣ। ପାଠ୍ୟପୁସ୍ତକ ପ୍ରସ୍ତୁତିରେ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇନାହିଁ ବୋଲି ଅଭିଯୋଗ କରି କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବାକୁ ମଧ୍ୟ ଦାବି କରିଛି।

ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ବିଜେପି ସରକାରଙ୍କର ଶିକ୍ଷା ପ୍ରାଥମିକତା ନୁହେଁ। ଗଣମାଧ୍ୟମରେ ପୁସ୍ତକରେ ଭୁଲ ଦେଖାଯାଉଛି, କିନ୍ତୁ ରାଜ୍ୟ ସରକାରଙ୍କୁ ଦେଖାଯାଉନାହିଁ। ଯାହାଙ୍କୁ ନିଯୁକ୍ତି ଦିଆଯାଉଛି, ସେମାନେ ଗେରୁଆ ହୋଇଥିବା ଦରକାର। ଗେରୁଆ ନୀତି ନ ଛାଡ଼ିଲେ ଶିକ୍ଷା ବୁଡ଼ିଯିବ।” ସେ ଶିକ୍ଷାକୁ ଗୈରିକିରଣରୁ ମୁକ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି।

ତେବେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ଭାବରେ ନେଇ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇଥିବା ବେଳେ, ବିରୋଧୀ ଦଳମାନେ ଏହାକୁ ସରକାରଙ୍କ ବିଫଳତା ବୋଲି ଆକ୍ଷେପ କରୁଛନ୍ତି। ଏହି ତ୍ରୁଟି ପ୍ରସଙ୍ଗ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ମୁଦ୍ଦା ହୋଇ ରହିବ ବୋଲି ଆଶଙ୍କା କରାଯାଉଛି।