ଟ୍ରେନ୍ ଉପରେ ସେଲ୍ଫି ନେବାକୁ ଯାଇ ଜଳିଗଲେ ଯୁବକ
ଭୁବନେଶ୍ୱର (ସଂକେତ ଟିଭି): ପୁଣି ଥରେ ସେଲ୍ଫି ନେବା ହେଲା କାଳ। ଟ୍ରେନ୍ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳରୂପୀ। ଏମିତି ଏକ ଅଘଟଣ ଘଟିଛି ଭୁବନେଶ୍ବର ମଞ୍ଚେଶ୍ୱର ରେଳ ଷ୍ଟେସନରେ। ଟ୍ରେନ୍ ବଗି ଉପରେ ଚଢ଼ି ଫଟୋ ଉଠାଉଥିବା ବେଳେ ଜଣେ ଯୁବକ ଜଳିଗଲେ। ତାଙ୍କ ନାଁ ରାମେଶ୍ୱର ଦାସୋରା। ସେ ରାଜସ୍ଥାନରୁ CTTCରେ ଟ୍ରେନିଂ ପାଇଁ ଭୁବନେଶ୍ୱର ଆସିଥିଲେ। ମଞ୍ଚେଶ୍ୱର ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଏହି ଘଟଣା ଘଟିଛି।
ଆହତ ଯୁବକଙ୍କୁ ପ୍ରଥମେ ରେଳବାଇ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର। ରାମେଶ୍ୱରଙ୍କ ସହ ସମେତ ୧୨ ଜଣ ସାଙ୍ଗ ହୋଇ ସକାଳ ୫ଟା ୨୦ରେ ପୁରୀ ସୁପରଫାସ୍ଟ ଏକ୍ସପ୍ରେସ୍ରେ ଆସି ମଞ୍ଚେଶ୍ୱର ରେଳ ଷ୍ଟେସନ୍ର ୪ ନମ୍ବର ପ୍ଲାଟଫର୍ମରେ ଓହ୍ଲାଇଥିଲେ। ପରେ ସେମାନେ ୩ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍ ଉପରେ ସେଲ୍ଫି ନେବା ପାଇଁ ଚଢ଼ିଯାଇଥିଲେ।
ଟ୍ରେନ୍ ଉପରେ ଥିବା ହାଇ ଭୋଲ୍ଟେଜ୍ ଇଲେକ୍ଟ୍ରିକ୍ ତାରରୁ କରେଣ୍ଟ ମାରିବାରୁ ସେ କୋଇଲା ଉପରେ ପଡ଼ିଗଲେ। ସେଠାରେ ଥିବା ତାଙ୍କ ସାଙ୍ଗମାନେ ଆମ୍ବୁଲାନ୍ସରେ ପ୍ରଥମେ ନିକଟସ୍ଥ ରେଳବାଇ ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ରାମେଶ୍ୱରଙ୍କୁ ଏମ୍ସ (AIIMS) ଭୁବନେଶ୍ୱର ରେଫର୍ କରାଯାଇଛି।
