FeaturedLatestNews

ଦିନ ୧୨ରୁ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏସଆଇଆର୍ କାର୍ଯ୍ୟ

ଭୁବନେଶ୍ୱର (ସଂକେତ ଟିଭି): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ SIR-୨୦୨୬ କାର୍ଯ୍ୟ ଦିନ ୧୨ରୁ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ଅତିରିକ୍ତ CEO ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲାପାଳ, ଡିଇଓ, ଇଆରଓ ଓ ବିଏମସି କମିଶନରଙ୍କୁ ପଠାଯାଇଛି । ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଘନ ସଂଶୋଧନ (SIR – ୨୦୨୬) କାର୍ଯ୍ୟକ୍ରମ ସମୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏହି ଆଡଭାଇଜରୀ ଜାରି କରାଯାଇଛି ।

ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଘରେ ଘରେ ଯାଇ ଯାଞ୍ଚ କିମ୍ବା ଅନ୍ୟାନ୍ୟ ବାହାର କାମ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ସକାଳ ଓ ସନ୍ଧ୍ୟା ସମୟକୁ ଏହି କାମ ପାଇଁ ପ୍ରାଥମିକତା ଦେବାକୁ କୁହାଯାଇଛି । ଆସନ୍ତା ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରାଜ୍ୟରେ ହେବାକୁ ଥିବା SIR କାର୍ଯ୍ୟକ୍ରମ ଅବଧିରେ ଘରେ ଘରେ ଯାଇ ଯାଞ୍ଚ, ସ୍ୱତନ୍ତ୍ର ଶିବିର, ଦାବି ଓ ଆପତ୍ତି ଗ୍ରହଣ ସହିତ ଭୋଟର ସହାୟତା କାର୍ଯ୍ୟ ଚାଲିବ । ଏହି ସମୟରେ ତୀବ୍ର ଗ୍ରୀଷ୍ମ ପରିସ୍ଥିତି ରହିବାର ସମ୍ଭାବନା ଥିବାରୁ କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଆଡଭାଇଜରୀରେ ସ୍ପଷ୍ଟ କରାଯାଇଛି ଯେ, ଗ୍ରୀଷ୍ମ ପ୍ରବାହ ସମୟ ଅର୍ଥାତ ଦିନ ୧୨ଟାରୁ ୩ଟା ମଧ୍ୟରେ ଫିଲ୍ଡ ଭିଜିଟ୍, ଡୋର-ଟୁ-ଡୋର ଭେରିଫିକେସନ ଓ ଅନ୍ୟାନ୍ୟ ବାହ୍ୟ କାର୍ଯ୍ୟକୁ ସମ୍ଭବତଃ ଏଡ଼ାଇବାକୁ ହେବ । ଏହାର ପରିବର୍ତ୍ତେ ସକାଳ ୬ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ କାମ କରିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ପାଣିପାଗ ଅନୁଯାୟୀ ଡିଇଓ ଓ ଇଆରଓମାନେ ସମୟରେ ପରିବର୍ତ୍ତନ କରିପାରିବେ ।

ଫିଲ୍ଡରେ କାମ କରୁଥିବା BLO, BLO ସୁପରଭାଇଜର, AERO ଓ EROମାନଙ୍କ ପାଇଁ କିଛି ଅନିବାର୍ଯ୍ୟ ସୁରକ୍ଷା ନିୟମ ମଧ୍ୟ ଜାରି କରାଯାଇଛି । ପର୍ଯ୍ୟାପ୍ତ ପାଣି, ORS ଓ ଇଲେକ୍ଟ୍ରୋଲାଇଟ୍ ପିଇବା, ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧିବା, ଟୋପି କିମ୍ବା ଛତା ବ୍ୟବହାର ଓ ସୂର୍ଯ୍ୟର ପ୍ରତ୍ୟକ୍ଷ ତାପରୁ ଦୂରେ ରହିବାକୁ କୁହାଯାଇଛି । ପ୍ରତ୍ୟେକ ଫିଲ୍ଡ କର୍ମଚାରୀଙ୍କ ପାଖରେ ପାଣି ବୋତଲ, ORS ପ୍ୟାକେଟ, ଟୋପି କିମ୍ବା ଛତା ଓ ଯୋଗାଯୋଗ ପାଇଁ ମୋବାଇଲ ଫୋନ ରଖିବାକୁ ନିର୍ଦ୍ଦେଶ ରହିଛି ।

ଅଂଶୁଘାତ ସମ୍ବନ୍ଧୀୟ ସତର୍କତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ମୁଣ୍ଡ ବ୍ୟଥା, ମୁଣ୍ଡ ବୁଲାଇବା, ବାନ୍ତି, ଦୁର୍ବଳତା, ଡିହାଇଡ୍ରେସନ କିମ୍ବା ଅସ୍ତବ୍ୟସ୍ତ ଲାଗିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଛାଇକୁ ନେଇ ବିଶ୍ରାମ ଓ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି । ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଓ ମେଡିକାଲ୍ ସହଯୋଗ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ମିଳିଛି ।

ସମସ୍ତ ଫେସିଲିଟି ସେଣ୍ଟର ଓ ଏନ୍ରୋଲମେଣ୍ଟ ଶିବିରରେ ପର୍ଯ୍ୟାପ୍ତ ଛାଇ, ବସିବା ବ୍ୟବସ୍ଥା, ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ରହିଛି । ବୃଦ୍ଧ, ଦିବ୍ୟାଙ୍ଗ, ଗର୍ଭବତୀ ଓ ଅସୁସ୍ଥ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସହାୟତା ଯୋଗାଇବାକୁ କୁହାଯାଇଛି ।

ଅବହେଳାକୁ ଗୁରୁତର ଭାବେ ନେବ ପ୍ରଶାସନ: CEO କାର୍ଯ୍ୟାଳୟ ସମସ୍ତ ଡିଇଓ ଓ ଇଆରଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରଖି ଜରୁରୀ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କହିଛି । ପ୍ରତିଦିନ ଫିଲ୍ଡ କାର୍ଯ୍ୟର ନିରୀକ୍ଷଣ କରାଯିବ ଏବଂ ସୁରକ୍ଷା ନିୟମ ଉଲ୍ଲଂଘନ କିମ୍ବା ଅବହେଳାକୁ ଗୁରୁତର ଭାବେ ନିଆଯିବ ବୋଲି ସତର୍କ କରାଯାଇଛି ।