ବ୍ରିକ୍ସ ବୈଠକ ସଫଳ, ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କୌଶଳକୁ ମିଳିଲା ବିଶ୍ୱସ୍ତରୀୟ ସ୍ୱୀକୃତି
ଭୁବନେଶ୍ୱର (ସଂକେତ ଟିଭି): ପୁରୀରେ ସଫଳତାର ସହ ଅନୁଷ୍ଠିତ ହୋଇଛି ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀ (ଡିଆରଆରଜି)ର ଦ୍ୱିତୀୟ ବୈଠକ। ଭାରତର ବ୍ରିକ୍ସ – ୨୦୨୬ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ପକ୍ଷରୁ ଓଡ଼ିଶାର ପୁରୀରେ ଜୁନ ୩ରୁ ୫ ପର୍ଯ୍ୟନ୍ତ ଏହି ବୈଠକ ଆୟୋଜିତ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଲୋକସେବା ଭବନରେ ଏନଡିଏମଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ)ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ସମୁଦାୟ ସ୍ୱୀକୃତି ଦେଇଛି।
“ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ ତଥା ସମନ୍ଵୟ ଏବଂ ନିରନ୍ତର ଧାରଣୀୟ ବିକାଶ ପାଇଁ ନିର୍ମାଣ” ଶୀର୍ଷକ ବିଷୟବସ୍ତୁକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରିକ୍ସର ଆଠଟି ସଦସ୍ୟ ରାଷ୍ଟ୍ର (ଚୀନ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଓ ସଂଯୁକ୍ତ ଆରବ ଏମିରେଟ୍ସ)ର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ଯୋଗ ଦେଇ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଥିଲେ।
ଏହି ଆନ୍ତର୍ଜାତିକ ବୈଠକ ଆୟୋଜନ ଓଡ଼ିଶା ପାଇଁ ତାହାର ବିଶ୍ୱ ପ୍ରସିଦ୍ଧ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଉପସ୍ଥାପନ କରିବାର ଏକ ସୁଯୋଗ ସୃଷ୍ଟି କରିଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଏହି ବୈଠକରେ ରାଜ୍ୟ ପକ୍ଷରୁ ପ୍ରାରମ୍ଭିକ ସତର୍କୀକରଣ ବ୍ୟବସ୍ଥା, ବାତ୍ୟା ପ୍ରସ୍ତୁତି, ସୁରକ୍ଷିତ ସ୍ଥାନାନ୍ତରଣ ଯୋଜନା ଏବଂ ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସରଣ କରାଯାଉଥିବା ସର୍ବୋତ୍ତମ ପଦ୍ଧତିଗୁଡ଼ିକ ଉପସ୍ଥାପନ କରାଯାଇଥିଲା।
ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ପ୍ରତିନିଧିମାନେ ପ୍ରଶଂସା କରିଥିଲେ। ବଡ଼ ବାତ୍ୟାଗୁଡ଼ିକ ସମୟରେ ପ୍ରାୟ ଶୂନ୍ୟ ପ୍ରାଣହାନି ଲକ୍ଷ୍ୟ ହାସଲ କରିବାରେ ରାଜ୍ୟର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦିଆଯାଇଛି। ଏହି ବୈଠକ ଓଡ଼ିଶାର ଅଧିକାରୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନଙ୍କୁ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କ ସହ ସିଧାସଳଖ ଆଲୋଚନା, ଜ୍ଞାନ ଆଦାନ-ପ୍ରଦାନ ଏବଂ ବିଶ୍ୱସ୍ତରୀୟ ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେଇଛି।
ପ୍ରତିନିଧିମାନେ ରାମଚଣ୍ଡୀରେ ଓଡ୍ରାଫ ପକ୍ଷରୁ ପ୍ରଦର୍ଶିତ ଜଳ ଉଦ୍ଧାର ପ୍ରଦର୍ଶନୀ ମଧ୍ୟ ଦେଖିଥିଲେ। ଏହା ରାଜ୍ୟର ପରିଚାଳନାଗତ ପ୍ରସ୍ତୁତି, ଅତ୍ୟାଧୁନିକ ଉପକରଣ ଏବଂ ବନ୍ୟା ଓ ଜଳଜନିତ ଜରୁରୀ ପରିସ୍ଥିତିରେ ପ୍ରତିରକ୍ଷା କ୍ଷମତାକୁ ପ୍ରଦର୍ଶିତ କରିଥିଲା।
ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପର୍ଯ୍ୟଟନ ସମ୍ଭାବନାକୁ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧିଙ୍କ ସାମ୍ନାରେ ଆଲୋକପାତ କରିବାର ଏକ ସୁଯୋଗ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ଓଡ଼ିଶୀ, ଛଉ, ଯାତ୍ରା ଏବଂ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ରାଜ୍ୟର ସାଂସ୍କୃତିକ ପରମ୍ପରାର ଅନୁଭୂତି ନେଇଛନ୍ତି।
ବ୍ରିକ୍ସ ଡିଆରଆରଜି ବୈଠକର ସଫଳ ଆୟୋଜନ ବିପର୍ଯ୍ୟୟ ପ୍ରତିରୋଧ ଏବଂ ପ୍ରସ୍ତୁତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାର ଆନ୍ତର୍ଜାତିକ ପରିଚିତିକୁ ସୁଦୃଢ଼ କରିଛି। ଏହା ‘ବିକଶିତ ଓଡ଼ିଶା-୨୦୩୬’ର ଦୃଷ୍ଟିକୋଣ ସହ ସମ୍ପୂର୍ଣ୍ଣ ଭାବେ ସମ୍ପର୍କିତ, ଯେଉଁଥିରେ ସମସ୍ତ ବିପର୍ଯ୍ୟୟରେ ଶୂନ୍ୟ ଜନହାନି ଲକ୍ଷ୍ୟ ବଜାୟ ରଖିବା, ସୁଦୃଢ଼ ଭିତ୍ତିଭୂମି ଗଠନ, ଓଡ୍ରାଫର ଆଧୁନିକୀକରଣ ଏବଂ ବିପର୍ଯ୍ୟୟପ୍ରବଣ ଅଞ୍ଚଳର ଅସୁରକ୍ଷିତ ଜନସମୁଦାୟଙ୍କ ଜୀବିକା ଉପରେ ବିପର୍ଯ୍ୟୟର ପ୍ରଭାବ ହ୍ରାସ କରିବାର ଲକ୍ଷ୍ୟ ରହିଛି।
ଓଡ଼ିଶାର ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି ଯେ କାର୍ଯ୍ୟକ୍ରମରେ ୬ଟି ଥିମ ଉପରେ ଆଲୋଚନା ହୋଇଥିଲା। ଲୋକଙ୍କ ସହଯୋଗରେ ବିପର୍ଯ୍ୟୟକୁ ସାମ୍ନା କରାଯାଉଛି। ରାଜ୍ୟ ପକ୍ଷରୁ ବିଶ୍ୱ ସମୁଦାୟ ଆଗରେ ଗତ ୧୦ ବର୍ଷ ଭିତରେ ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା ବିଷୟରେ ବର୍ଣ୍ଣନା କରାଯାଇଥିଲା। ଶୂନ୍ୟ ପ୍ରାଣହାନି ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ସଫଳ ହୋଇଛି। ରାଜ୍ୟରେ ବର୍ତ୍ତମାନ ଭୂସ୍ଖଳନ ଆରମ୍ଭ ହୋଇଛି, ତେଣୁ ଅନ୍ୟ ଦେଶ ଓ ପ୍ରଦେଶରୁ ଏ ନେଇ ଶିକ୍ଷାଲାବ କରାଯାଉଛି।
ଏନଡିଏମଏର ସଦସ୍ୟ ତଥା ବିଭାଗୀୟ ମୁଖ୍ୟ କୃଷ୍ଣ ସ୍ଵରୁପ ବତ୍ସା କହିଛନ୍ତି ଯେ ଓଡ଼ିଶା ତଥା ଦେଶ ଉପରେ ଏଲ ନିନୋ ପ୍ରଭାବ କମ ପଡ଼ିବ। ଇଣ୍ଡିଆନ ଓସିନ ଡାଇପୋଲ (ଆଇଓଡି) ଏଲ ନିନୋ ପ୍ରଭାବକୁ କମାଇ ପାରିବ। ଏ ବିଷୟରେ ବ୍ରିକ୍ସ ସମ୍ମିଳନୀରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏନଡିଏମଏର ସଦସ୍ୟ ଡ. ଦିନେଶ କୁମାର ଅସୱାଲ, ରୀତା ମିଶାଲ ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଓଏସଡିଏମଏର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
