FeaturedLatestNews

ଓସ୍ୱାଲି ବୁଲିଲେ ବ୍ରିକ୍ସ ପ୍ରତିନିଧି, ଓଡ଼ିଶାର ବିପର୍ଯ୍ୟୟ ମଡେଲକୁ ଭୂୟସୀ ପ୍ରଶଂସା

ପୁରୀ(ସଂକେତ ଟିଭି): ଓଡ଼ିଶା ଗସ୍ତରେ ଆସିଥିବା ବ୍ରିକ୍ସ (BRICS) ରାଷ୍ଟ୍ର ପ୍ରତିନିଧି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ରଣକୌଶଳକୁ ଭୂୟସୀ ପ୍ରଶଂସା କରିଛନ୍ତି। ପୁରୀଠାରେ ଅନୁଷ୍ଠିତ ବ୍ରିକ୍ସ ବିପର୍ଯ୍ୟୟ ହ୍ରାସ କାର୍ଯ୍ୟଗୋଷ୍ଠୀର ୩ (ତିନି) ଦିନିଆ ବୈଠକ ସଫଳତାର ସହ ଉଦ୍ୟାପିତ ହୋଇଯାଇଛି।

ଏହି ସମ୍ମିଳନୀର ଅନ୍ତିମ ଦିବସରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରସମୂହର ପ୍ରତିନିଧିମାନେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହାପରେ ଅପରାହ୍ନରେ ସମସ୍ତ ପ୍ରତିନିଧି କୋଣାର୍କ-ପୁରୀ ବେଳାମାର୍ଗସ୍ଥିତ ରାମଚଣ୍ଡୀ ନିକଟରେ ଥିବା ‘ଓଡ଼ିଶା ରାଜ୍ୟ ଜଳଦକ୍ଷତା ଓ ଜୀବନରକ୍ଷା ତାଲିମ କେନ୍ଦ୍ର’ (ଓସ୍ୱାଲି) ପରିଦର୍ଶନ କରିଥିଲେ।

ଜାତୀୟ ଓ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ୩ ଦିନିଆ ସମ୍ମିଳନୀରେ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ସମେତ ସମୁଦାୟ ୧୧ ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ୧୮ ଜଣ ପ୍ରତିନିଧି ଏବଂ ୫୫ ଜଣ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ଉପସ୍ଥିତ ଥିଲେ। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ବିଭାଗ (ODRAF)ର କର୍ମଚାରୀମାନେ କୁଶଭଦ୍ରା ନଦୀର ଗଭୀର ଜଳରାଶିରେ ବନ୍ୟା ଓ ବାତ୍ୟା ସମୟରେ ଲୋକଙ୍କ ଧନଜୀବନ ରକ୍ଷା କରିବାର ଅଦ୍ଭୁତ କୌଶଳ ପ୍ରଦର୍ଶନ କରିଥିଲେ। ରୋବୋଟିକ ଯନ୍ତ୍ର ସାହାଯ୍ୟରେ ଉଦ୍ଧାର, ଉନ୍ନତ ୱାଟର ବୋଟ୍, ଦକ୍ଷ ସ୍କୁବା ଡ୍ରାଇଭରଙ୍କ କୌଶଳ ଏବଂ ରୋପ୍ ଗନ୍ ଫାୟାର୍ (Rope Gun Fire) ବ୍ୟବହାର କରି ଦୁର୍ଗମ ସ୍ଥାନରୁ ଉଦ୍ଧାର କାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା।

ଓଡ୍ରାଫ୍ (ODRAF)ର ଅତ୍ୟାଧୁନିକ ଉଦ୍ଧାର କାର୍ଯ୍ୟ ଓ ରଣକୌଶଳ ଦେଖି ବିଦେଶୀ ପ୍ରତିନିଧିମାନେ ଚକିତ ହୋଇଥିଲେ। ଓଡ଼ିଶାର ଉପକୂଳ ସୁରକ୍ଷା ଓ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସେମାନେ ସାରା ବିଶ୍ୱ ପାଇଁ ପ୍ରେରଣା ବୋଲି ମତବ୍ୟକ୍ତ କରିଥିଲେ। ଦକ୍ଷିଣ ଆଫ୍ରିକାର ପ୍ରତିନିଧି ଏଲିଆ ସିଥୋଲ କହିଛନ୍ତି, “ଓଡ଼ିଶା ଡିଜାଷ୍ଟର ରାପିଡ ଆକ୍ସନ ଫୋର୍ସର ପ୍ରଶିକ୍ଷଣପ୍ରାପ୍ତ ଉଦ୍ଧାରକାରୀମାନେ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଉଛନ୍ତି, ଏହା ଅତ୍ୟନ୍ତ ପ୍ରଶଂସନୀୟ।” ଅନ୍ୟ ଜଣେ ପ୍ରତିନିଧି କହିଛନ୍ତି, “ଓଡ଼ିଶାରେ ଯେତେବେଳେ ବିପର୍ଯ୍ୟୟ ଆସେ, ସେତେବେଳେ ଜାତୀୟ ସ୍ତରର ରେସ୍ପନ୍ସ ଆବଶ୍ୟକ ହୁଏ ନାହିଁ। ଓଡ୍ରାଫ୍ ଏତେ ପ୍ରଫେସନାଲ ଓ ପ୍ରଶିକ୍ଷିତ ଯେ ସେ ନିଜେ ସବୁ ସମ୍ଭାଳି ନିଏ।”

ଶେଷରେ ସମସ୍ତ ବିଦେଶୀ ଅତିଥି ସୁରକ୍ଷା ଜ୍ୟାକେଟ୍ ପିନ୍ଧି ଓଡ୍ରାଫ୍‌ର ଅତ୍ୟାଧୁନିକ ସ୍ପିଡ୍ ବୋଟ୍‌ରେ କୁଶଭଦ୍ରା ନଦୀ ଏବଂ ରାମଚଣ୍ଡୀ ମୁହାଁଣର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିଥିଲେ। ଓସଡମା (OSDMA) ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ। ପରିଦର୍ଶନ ସାରି ସମସ୍ତ ପ୍ରତିନିଧି ପୁରୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି।