FeaturedLatestNews

ସୋନନଦୀରେ ଗାଧୋଇବା ସମୟରେ ୨ ନାବାଳକଙ୍କ ମୃତ୍ୟୁ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଦେଇ ପ୍ରବାହିତ ସୋନନଦୀରେ ଗାଧୋଇବା ସମୟରେ ଆଜି ୨ ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରୁ ଜଣେ ନାବାଳକ ବର୍ତ୍ତି ଯାଇଛି। ମୃତ ଦୁଇ ଜଣ ହେଲେ ଆକାଶ ମହାଳିକ (୧୨) ଏବଂ କାର୍ତ୍ତିକ ବେହେରା (୧୨)। ଆକାଶର ବଡ଼ ଭାଇ ଦୀପକ ଅଘଟଣରୁ ବର୍ତ୍ତି ଯାଇଛି।

ଆଜି ଦିନ ପ୍ରାୟ ୧୨ଟାରେ ନୀଳଗିରି ଥାନା ଅଧୀନସ୍ଥ ରାଧାକିଶୋରପୁର ପଂଚାୟତ ଅନ୍ତର୍ଗତ ପୁନ୍ଦାଳ ଗାଁର ଲକ୍ଷ୍ମୀଧର ମହାଳିକଙ୍କ ବଡ଼ପୁଅ ଦୀପକ ଓ ସାନପୁଅ ଆକାଶ, ସେହି ଗାଁର ପ୍ରଦୀପ ବେହେରାଙ୍କ ସହ ଗାଁ ନିକଟ ସୋନନଦୀର ମନ୍ଦିରଘାଟକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ହେତୁ ପ୍ରଥମେ ଆକାଶ ପାଣିରେ ବୁଡ଼ିଯାଉଥିବା ବେଳେ କାର୍ତ୍ତିକ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରି ସେ ନିଜେ ବୁଡ଼ିଗଲା। ଏହା ଦେଖି ଆକାଶର ବଡ଼ଭାଇ ଦୀପକ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲା।

ଗାଁ ଲୋକେ ଉକ୍ତ ଘାଟରୁ ଦୁଇ ନାବାଳକଙ୍କୁ ଉଦ୍ଧାର କରି ୧୦୮ ଯୋଗେ ରେମୁଣା ସ୍ଥିତ ମେଡ଼ିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ନାବାଳକଙ୍କ ମୃତ୍ୟୁରେ ରାଧାକିଶୋରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।