ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨-ଦିନିଆ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିନିକିଆ ରାଇରଙ୍ଗପୁର ଗସ୍ତ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୁନ ୧୯ ତାରିଖରୁ ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ମୁର୍ମୁ ଏବଂ ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ଗ୍ରାମ ଭ୍ରମଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହିତ ଜନ ସାଧାରଣଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରିବେ।
ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରରେ ପହଞ୍ଚିବା ପରେ ଦାଣ୍ଡବୋଷ ଠାରେ ଏକ ବିଶାଳ ସମାବେଶରେ ଯୋଗ ଦେବେ। ଏଠାରେ ଅନେକ ପ୍ରକଳ୍ପର ଉଦ୍ଘାଟନ ସହିତ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହାସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଗସ୍ତ ସୂଚନା:
- ପୂର୍ବାହ୍ନ ୧୧.୦୫: ମୟୂରଭଞ୍ଜ ହେଲିପ୍ୟାଡ୍ରେ ପ୍ରଧାନମନ୍ତ୍ରୀଙ୍କ ଅବତରଣ।
- ପୂର୍ବାହ୍ନ ୧୧.୧୫: ପାହାଡ଼ପୁର ଗୋଷାଣୀ ପୀଠରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ।
- ପୂର୍ବାହ୍ନ ୧୧.୧୫ରୁ ୧୨.୧୫: ପାହାଡ଼ପୁରରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ।
- ମଧ୍ୟାହ୍ନ ୧୨.୨୦: ଦାଣ୍ଡବୋଷ ଅଭିମୁଖେ ବାହାରିବେ।
- ମଧ୍ୟାହ୍ନ ୧୨.୫୫: ଦାଣ୍ଡବୋଷ ଠାରେ ଆୟୋଜିତ ସମାବେଶରେ ପହଞ୍ଚିବେ।
- ଅପରାହ୍ଣ ୨.୧୫: ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ପ୍ରଧାନମନ୍ତ୍ରୀ।
ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, “ଓଡ଼ିଶା ଗସ୍ତରେ ଆସି ବଡ଼ ଭେଟି ଦେଇଛନ୍ତି। ଏଥର ମଧ୍ୟ ସେ ବିଜେପିର ଦୁଇବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ରାଇରଙ୍ଗପୁରକୁ ଆସୁଛନ୍ତି। ତେଣୁ ସେ ଦାଣ୍ଡବୋଷଠାରେ ଆୟୋଜିତ ଦୁଇବର୍ଷ କାର୍ଯ୍ୟକ୍ରମରେ ଅନେକ କିଛି ନୂଆ ଯୋଜନା ଏବଂ ପ୍ରକଳ୍ପ ଭେଟିଦେବେ। ଓଡ଼ିଶାକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଚାହାଁନ୍ତି। ତେଣୁ ଏଥର ମଧ୍ୟ ଅନେକ କିଛି ଯୋଜନା ଘୋଷଣା କରିବେ ବୋଲି ଆଶା। ମୋଦିଙ୍କ ଏହି ଗସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନବଳକୁ ଆହୁରି ମଜଭୁତ୍ କରିବ, ଯାହା ଉଭୟ ସଂଗଠନ ଓ ସରକାରଙ୍କ ବେଶ୍ ସହାୟକ ହେବ।”
ରାଜ୍ୟରେ ଡବଲଇଞ୍ଜିନ ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେଥିପାଇଁ ସାରା ଓଡ଼ିଶାବାସୀ ତାଙ୍କ ପ୍ରତି କୃତଜ୍ଞ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସନ୍ତା ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି।
ଏହି ଅବସରରେ ସେ ପ୍ରଥମେ ମୟୂରଭଞ୍ଜ ପାହାଡ଼ପୁର ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନରେ ଯିବେ। ଉକ୍ତ ଗ୍ରାମରେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତାଇ ରାଷ୍ଟ୍ରପତିଙ୍କ ପରିବାର ଓ ଗାଁ ଲୋକଙ୍କ ସହ ଚର୍ଚ୍ଚା ଆଲୋଚନା କରିବେ। ଏହାପରେ ସେ ସେଠାରୁ ବାହାରି ଦାଣ୍ଡବୋଷରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ପରେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି।
