୭୦୭ ମୋବାଇଲ ଟାୱାର ପାଇଁ ଜମି ଯୋଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଦୁର୍ଗମ, ଆଦିବାସୀ ଏବଂ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଡିଜିଟାଲ ଭାରତ ନିଧି (ଡିବିଏନ୍) ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂତନ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପର ସଫଳତା ପାଇଁ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି।
ଏଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ, ପ୍ରତ୍ୟେକ ସ୍ଥାନରେ ପ୍ରାୟ ୨,୦୦୦ ବର୍ଗଫୁଟ ସରକାରୀ ଜମିର ଅଗ୍ରୀମ ଦଖଲ ବିଏସଏନଏଲକୁ ଦିଆଯାଉ। ଏହାସହିତ ଉକ୍ତ ଜମି ପାଇଁ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍’ (ଏନଓସି) ଜାରି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଟାୱାର ସ୍ଥାପନ କାର୍ଯ୍ୟ ବିଳମ୍ବ ନହୋଇ ତୁରନ୍ତ ଆରମ୍ଭ ହୋଇପାରିବ।
ଏହି ବୃହତ୍ ପଦକ୍ଷେପ ପଛରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସକ୍ରିୟ ହସ୍ତକ୍ଷେପ ରହିଛି। ଶ୍ରୀ ସିନ୍ଧିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଦୁର୍ଗମ ଓ ସେବାବଞ୍ଚିତ ଅଞ୍ଚଳରେ ମୋବାଇଲ ସଂଯୋଗ ବିସ୍ତାର ପାଇଁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି। ସେ ଏହି ପ୍ରକଳ୍ପର ଦ୍ରୁତ ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।
ସୂଚନା ଅନୁସାରେ, ଓଡ଼ିଶାରେ ଏପର୍ଯ୍ୟନ୍ତ ୩,୬୦୨ଟି ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ୬୮୩ଟି ଟାୱାରର ନିର୍ମାଣ କାର୍ଯ୍ୟ ଚାଲିଛି। ସାମ୍ପ୍ରତିକ ସମୟରେ ୮୯୪ଟି ନୂତନ ସ୍ଥାନ ପାଇଁ କେନ୍ଦ୍ରୀୟ ଅନୁମୋଦନ ମିଳିଥିବା ବେଳେ, ସେଥିମଧ୍ୟରୁ ୭୦୭ଟି ସ୍ଥାନରେ ଜମି ବଣ୍ଟନ ଅପେକ୍ଷାରେ ରହିଛି। ଏହି ୭୦୭ଟି ସ୍ଥାନ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ‘ମୋଷ୍ଟ ଅର୍ଜେଣ୍ଟ’ ଭାବେ ଚିହ୍ନଟ କରାଯାଇ ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ପ୍ରକଳ୍ପରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ପରି ଆଦିବାସୀ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ଏହି ସମସ୍ତ ଅଞ୍ଚଳର ଅନେକ ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ସିଗ୍ନାଲ ଦୁର୍ବଳ ଅଥବା ସମ୍ପୂର୍ଣ୍ଣ ଅନୁପସ୍ଥିତ, ଯାହାଫଳରେ ସ୍ଥାନୀୟ ଲୋକମାନେ ସାଧାରଣ ଯୋଗାଯୋଗଠାରୁ ଆରମ୍ଭ କରି ଅନଲାଇନ୍ ସେବା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, କିଛି ଜିଲ୍ଲାର ସକ୍ରିୟ ପଦକ୍ଷେପ ଫଳରେ ଏପର୍ଯ୍ୟନ୍ତ ୨୯୪ଟି ସ୍ଥାନ ପାଇଁ ଏନଓସି ଜାରି ହୋଇସାରିଛି। ଏହି ସ୍ଥାନଗୁଡ଼ିକରେ ଟାୱାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଜଣାପଡ଼ିଛି। ବର୍ତ୍ତମାନ ଅବଶିଷ୍ଟ ୭୦୭ଟି ସ୍ଥାନରେ ଶୀଘ୍ର ଜମି ହସ୍ତାନ୍ତର କରାଗଲେ, ଆଗାମୀ ଦିନରେ ରାଜ୍ୟର ଶେଷ ଆଡ଼କୁ ମଧ୍ୟ ଡିଜିଟାଲ ବିପ୍ଳବ ପହଞ୍ଚିବ, ବୋଲି ଆଶା କରାଯାଉଛି।
