ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆରମ୍ଭ ହେଲା ଦୁଇ ଦିନିଆ ଓଡ଼ିଶା ଗସ୍ତ
ବାରିପଦା (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପହଞ୍ଚିଛନ୍ତି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ନିଜ ଜନ୍ମମାଟିରେ ପାଦ ରଖିଛନ୍ତି। ପ୍ରତିକୂଳ ପାଗ ଯୋଗୁଁ ପଶ୍ଚିମବଙ୍ଗର କଲାଇକୁଣ୍ଡାରୁ ସଡ଼କ ପଥରେ ଆସି ଶୁକ୍ରବାର ସନ୍ଧ୍ୟାରେ ସେ ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୨ ଘଣ୍ଟା ବିଳମ୍ବରେ ସେ ଏଠାରେ ପହଞ୍ଚିବା ନେଇ ସୂଚନା ମିଳିଛି।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ମୁର୍ମୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଆସିବାର ଥିଲେ। କିନ୍ତୁ ଖରାପ ପାଗ ଯୋଗୁଁ ହେଲିକପ୍ଟର ଉଡ଼ାଣ ସମ୍ଭବ ନ ହେବାରୁ ସେ ସଡ଼କ ପଥରେ ଯାତ୍ରା କରିଥିଲେ।
ରାଇରଙ୍ଗପୁର ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ଅବସରରେ ଏମଏସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏବଂ ତାଙ୍କ ଟିମ୍ ମଧ୍ୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
୨୦ ତାରିଖ ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟିରେ ନିଜର ଜନ୍ମଦିନ ପାଳନ କରିବେ। ଏହି ଦିନ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏହି ଦୁଇ ଜଣ ବରିଷ୍ଠ ନେତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
