ଜୁନ ୨୯ରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
ବାରିପଦା (ସଂକେତ ଟିଭି): ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ଶିମିଳିପାଳ ଜାତୀୟ ଉଦ୍ୟାନ ଆସନ୍ତା ଜୁନ ୨୯ ତାରିଖରୁ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ପାଇଁ ବନ୍ଦ ରହିବ । ଏହି ସୂଚନା ସୋମବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ପ୍ରଦାନ କରିଛନ୍ତି ।
ଜାତୀୟ ଉଦ୍ୟାନ ବନ୍ଦ ରହୁଥିଲେ ମଧ୍ୟ ପର୍ଯ୍ୟଟକମାନେ ତାଳବନ୍ଧ ଓ ଜାମୁଆଣି ଇକୋଟୁରିଜିମ୍ କମ୍ପ୍ଲେକ୍ସକୁ ଯାଇପାରିବେ । ଏହି ଦୁଇଟି ସ୍ଥାନ ବର୍ଷାଋତୁରେ ମଧ୍ୟ ଖୋଲା ରହିବ ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଶିମିଳିପାଳ ଜାତୀୟ ଉଦ୍ୟାନ ପୁନଃଖୋଲା ହେବାର ତାରିଖ ପରବର୍ତ୍ତୀ ସମୟରେ ବିଭିନ୍ନ ସମ୍ବାଦପତ୍ର ଓ ବିଭାଗୀୟ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ ପାଇବ । ବର୍ଷାକୁ ନେଇ ଉଦ୍ୟାନ ଭିତରେ ପ୍ରବେଶ ନିରାପଦ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ବନ ବିଭାଗ ପକ୍ଷରୁ ସମସ୍ତ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କୁ ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି । ଅତି ବର୍ଷା ସମୟରେ ଜଙ୍ଗଲ ଭିତରକୁ ନ ଯିବାକୁ ଏବଂ ଇକୋଟୁରିଜିମ୍ ସ୍ଥଳୀରେ ରହିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
