CrimeFeaturedLatestNews

ଗୋ-ମାଫିଆ ବିରୋଧରେ ପୋଲିସର ଦ୍ୱିତୀୟ ପର୍ଯ୍ୟାୟ ବଡ଼ ଅପରେସନ

ବାଲେଶ୍ବର (ସଂକେତ ଟିଭି): ରାଜ୍ୟରେ ବେଆଇନ ଗୋ-ଚାଲାଣ ଏବଂ ଗୋ-ମାଫିଆଙ୍କ ନେଟୱର୍କକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ପାଇଁ ବାଲେଶ୍ୱର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅପରେସନ ଆରମ୍ଭ ହୋଇଛି । ଗତକାଲି ମଧ୍ୟରାତ୍ରରୁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସନ୍ଦିଗ୍ଧ ଗୋ-ମାଫିଆଙ୍କ ଘର ଓ ଆଡ୍ଡା ଉପରେ ଏକକାଳୀନ ଚଢ଼ାଉ ଜାରି ରଖିଛି।

ଜିଲ୍ଲାର ପ୍ରାୟ ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ମେଗା ରେଡ୍ ଚାଲିଥିବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଗୋ-ମାଫିଆଙ୍କ ବିରୋଧରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏହା ହେଉଛି ପୁଲିସର ଦ୍ୱିତୀୟ ପର୍ଯ୍ୟାୟ ବଡ଼ ଚଢ଼ାଉ। ସଦର ଥାନା ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତର ଜଙ୍ଖରାଇ ଗ୍ରାମରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସହ ତହସିଲଦାର ମଧ୍ୟ ଉପସ୍ଥିତ ରହି ଚଢ଼ାଉ କରୁଛନ୍ତି।

ସେହିପରି ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଝାରପୋଖରିଆ ଥାନା ଅଞ୍ଚଳର ଦୁଇଟି ପୃଥକ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଛି। ଏହି ରେଡ୍ ବିଶେଷ କରି ସ୍ଥାନୀୟ ଗଞ୍ଜେଇ ଓ ଗୋ-ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କରାଯାଉଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ମୟୂରଭଞ୍ଜ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଥାନାରେ କେଶ ନଂ ୧୦୭/୨୬ ଅନୁଯାଇ ଅଞ୍ଚଳର ଉତ୍ତମ କୁମାର ଦଣ୍ଡପାଟ ଏବଂ କେଶ ନଂ ୧୫୦/୨୬ ଅନୁଯାଇ ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି। ଏହି ମାଫିଆମାନେ ବେଆଇନ କାର୍ଯ୍ୟକଳାପ ମାଧ୍ୟମରେ ଅର୍ଜନ କରିଥିବା ସମ୍ପତ୍ତିର ଆକଳନ ଓ ଜବତ ପାଇଁ ପୋଲିସ ଏହି ଆକ୍ସନ ନେଇଛି।

ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କେନ୍ଦ୍ରଇ ଗ୍ରାମରେ ଦୁଇଟି ଗୋରୁ ମାଫିଆଙ୍କ ଘରେ ଚାଲିଛି ପୋଲିସର ଚଢ଼ାଉ । କେନ୍ଦ୍ରଇ ଗ୍ରାମର ଏସ କେ ଟକରା ଏବଂ ଏସକେ ତବରେଜ ଘରେ ଚାଲିଛି ଚଢ଼ାଉ । ଦୁଇଜଣଙ୍କ ଘରୁ ନଗଦ ଟଙ୍କା ଓ ବିପୁଳ ସୁନା ରୁପା ଗହଣା ଜବତ କରାଯାଇଛି। ଆକଳନ ପରେ ସଠିକ ଜବତ ମୂଲ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଚଢ଼ାଉରେ ରାଇରଙ୍ଗପୁର ଏସଡିପିଓ, ଗ୍ରାମାଞ୍ଚଳ, ବାଦାମପାହାଡ଼, ବହଳଦା, ଗୋରୁମାହିସାଣି ପୋଲିସ ସହ ବାରିପଦାରୁ ତିନି ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି ।

ସେହିପରି ଭଦ୍ରକ ଅତିରିକ୍ତ ଏସପିଙ୍କ ନେତୄତ୍ବରେ ୬ଟି ସ୍ଥାନରେ ଚଢାଉ କରାଯାଉଛି । ଭଦ୍ରକ ଟାଉନଥାନା ଅଧିନ ୩ଟି ସ୍ଥାନ ଓ ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ୩ଟି ସ୍ଥାନରେ ପୁଲିସ ଚଢାଉ କରିଛି । ଦୁଇ ଗୋ ମାଫିଆ ଗିରଫ କରିଛି ପୁଲିସ । ଦୁଇ ଗୋ ମାଫିଆ ହେଲେ ପୁରୁଣାଵଜାରର ଜାହିଦ ଖାନ ଓ ଵୁଧବାର ହାଟ ଅଞ୍ଚଳର ମାତର ଖାନ । ପୁଲିସ ଟଙ୍କା, ସୁନା, ବ୍ୟାଙ୍କ ପାସବୁକ୍‌ ଜଵତ କରିବା ସହ ତଦନ୍ତ ଜାରି ରହିଛି ।