FeaturedGeneralLatestPolitics

ବିଜେପିରୁ ଇସ୍ତଫା ଦେଲେ ତାମିଲନାଡୁର ବିଜେପି ନେତା ଆନ୍ନାମଲାଇ, ଗଢିବେ ନୂଆ ଦଳ

ନୂଆଦିଲ୍ଲୀ(ସଂକେତ ଟିଭି): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କେ. ଆନ୍ନାମଲାଇ ବିଜେପିରୁ ଇସ୍ତଫା ଦେଇଛନ୍ତି। ଏପରିକି ସେ ତାମିଲନାଡୁରେ ଏକ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ତାମିଲନାଡୁ ବିଜେପିର ପୂର୍ବତନ ସଭାପତି ଏବଂ ପୂର୍ବତନ ଆଇପିଏସ୍ ଅଧିକାରୀ ଆନ୍ନାମଲାଇ ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ୫ ପୃଷ୍ଠା ସମ୍ବଳିତ ଏକ ଇସ୍ତଫା ପତ୍ର ଦେଇଛନ୍ତି। ଏହି ସମୟରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବି.ଏଲ୍. ସନ୍ତୋଷ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ଆନ୍ନାମଲାଇ ତାମିଲନାଡୁରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଧର୍ମନିରପେକ୍ଷ (Secular) ଏବଂ ତାମିଲ୍-ପ୍ରଥମ (Tamil-first) ସମ୍ଭାବ୍ୟ ଦଳର ଆଭିମୁଖ୍ୟ ରହିବ। ଆସନ୍ତା ୬ ରୁ ୮ ମାସ ମଧ୍ୟରେ ନୂଆ ଦଳ ସଂପର୍କରେ ଘୋଷଣା କରିପାରନ୍ତି ଆନ୍ନାମଲାଇ। ଏହି ଦଳ ତାମିଲନାଡୁରେ ବିଜେପି ଏବଂ ଦୁଇ ପ୍ରମୁଖ ଦ୍ରାବିଡ଼ ଦଳ (DMK ଓ AIADMK) ର ଏକ ବିକଳ୍ପ ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରିବ। ଆନ୍ନାମଲାଇ ଏପରି ଏକ ମଞ୍ଚ ଚାହୁଁଛନ୍ତି ଯାହା ତାମିଲ ଅସ୍ମିତାକୁ ସୁରକ୍ଷା ଦେବା ସହ ଏକ ଜାତୀୟ ଦୃଷ୍ଟିକୋଣ ରଖିବ। ଏହାସହ ବିରୋଧୀ ଦଳଗୁଡ଼ିକୁ କେବଳ ପ୍ରସଙ୍ଗଭିତ୍ତିରେ ବିରୋଧ କରିବ।

ବିଗତ କିଛି ମାସ ହେବ ତାମିଲନାଡୁରେ ବିଜେପିର ରଣନୀତିକୁ ନେଇ ଆନ୍ନାମଲାଇ ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କ ମଧ୍ୟରେ ତୀବ୍ର ମତଭେଦ ଦେଖାଦେଇଥିଲା। ବିଜେପି ପୁଣିଥରେ AIADMK ସହ ମେଣ୍ଟ କରିବାକୁ ନେଇଥିବା ନିଷ୍ପତ୍ତି ଏବଂ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ଆନ୍ନାମଲାଇ ଅସନ୍ତୁଷ୍ଟ ଥିଲେ। ଆନ୍ନାମଲାଇଙ୍କ ଯୁକ୍ତି ଥିଲା ଯେ, ବିଜେପି ଅନ୍ୟ ଦଳ ଉପରେ ନିର୍ଭର ନକରି ତାମିଲନାଡୁରେ ନିଜର ଏକ ସ୍ୱତନ୍ତ୍ର ସଂଗଠନ ତିଆରି କରିବା ଉଚିତ୍। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ଡିଏମକେ (DMK) କୁ ହରାଇବା ପାଇଁ ମେଣ୍ଟ ରାଜନୀତିକୁ ଅଧିକ ଗୁରୁତ୍ୱ ଦେଇଥିଲେ।

ତାମିଲନାଡୁ ରାଜନୀତିରେ ଅଭିନେତାରୁ ନେତା ସାଜିଥିବା ବିଜୟ ଏବଂ ତାଙ୍କ ଦଳର ନିର୍ବାଚନୀ ସଫଳତା ରାଜ୍ୟର ରାଜନୈତିକ ଚିତ୍ର ବଦଳାଇ ଦେଇଛି। ଆନ୍ନାମଲାଇଙ୍କ ସହଯୋଗୀମାନଙ୍କ ମତରେ, ଏହି ବଦଳୁଥିବା ସମୀକରଣ ଯୋଗୁଁ ରାଜ୍ୟରେ ଏବେ ଏକ ନୂଆ ରାଜନୈତିକ ଶକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି। ସେପଟେ ରାଜ୍ୟର ଅନେକ ଯୁବ ପ୍ରଫେସନାଲ ଏବଂ ପ୍ରଥମ ଥର ପାଇଁ ରାଜନୀତିକୁ ଆସୁଥିବା ଯୁବକମାନେ ବର୍ତ୍ତମାନର ପୁରୁଣା ଦଳଗୁଡ଼ିକ ଉପରେ ସନ୍ତୁଷ୍ଟ ନାହାନ୍ତି। ସେମାନେ ଏହି ନୂଆ ମଞ୍ଚ ପ୍ରତି ଆକର୍ଷିତ ହେବେ। ଏହା ବ୍ୟତୀତ, ସେ ବିଜେପିରୁ ଆନୁଷ୍ଠାନିକ ଭାବେ ଦୂରେଇବା ପରେ ଅନ୍ୟ ଦଳର କିଛି ଅଭିଜ୍ଞ ନେତା ମଧ୍ୟ ତାଙ୍କ ସହ ଯୋଗ ଦେଇପାରନ୍ତି।

ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା CBSE ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯାଇଥିବା ‘ତ୍ରିଭାଷା ସୂତ୍ର’ (Three-language formula) କୁ ଆନ୍ନାମଲାଇ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏହି ନିଷ୍ପତ୍ତି ତାମିଲନାଡୁର ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାର ବିଷୟ। ଏହି ଘଟଣା ପରେ ହିଁ କେନ୍ଦ୍ର ସରକାର ତଥା ବିଜେପି ସହ ତାଙ୍କର ଦୂରତା ବଢ଼ୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଆନ୍ନାମଲାଇଙ୍କ ଇସ୍ତଫା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।