FeaturedGeneralLatest

ରେଳବାଇରେ ସ୍ୱଚ୍ଛ ନିଯୁକ୍ତି ପାଇଁ ସିବିଟି ଓ ଟିବିଟି ବାଧ୍ୟତାମୂଳକ

ନୂଆଦିଲ୍ଲୀ(ସଂକେତ ଟିଭି): ନୂଆଦିଲ୍ଲୀରେ ଶୁକ୍ରବାର ଇଣ୍ଡିଆନ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ନିଯୁକ୍ତି ବୋର୍ଡ (RRB) ର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।

ରେଳମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ସଠିକ କରିବା ଏବଂ ପ୍ରଯୁକ୍ତିବିଦ୍ୟା (ଟେକ୍ନୋଲୋଜି) ଆଧାରିତ ବ୍ୟବସ୍ଥା ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ସମୟରେ ସେ ସମସ୍ତ ବିଭାଗୀୟ ପରୀକ୍ଷାକୁ ସିବିଟି (CBT) ଅର୍ଥାତ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଜରିଆରେ କରିବା ଏବଂ ଟାବଲେଟ ଆଧାରିତ ଟେଷ୍ଟିଂ (TBT) ର ପରିସର ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରେଳବାଇର ସମସ୍ତ ବିଭାଗୀୟ ନିଯୁକ୍ତି ପରୀକ୍ଷା ଏବେ ସିବିଟି ମୋଡ୍ରେ ହେବ। ଏହାସହ ନିଯୁକ୍ତି ପରୀକ୍ଷାଗୁଡ଼ିକରେ ଏବେ ଟାବଲେଟ ଆଧାରିତ ଟେଷ୍ଟିଂ (TBT) ର ପରିସରକୁ ଅଧିକ ବୃଦ୍ଧି କରାଯିବ।

ଟିବିଟି (TBT) ମୋଡ ପରୀକ୍ଷା ଅର୍ଥାତ ଟାବଲେଟ-ବେସଡ ଟେଷ୍ଟ। ଏହା ପରୀକ୍ଷାର ଏଭଳି ଏକ ପଦ୍ଧତି ଯେଉଁଥିରେ ପରୀକ୍ଷାର୍ଥୀମାନେ ପାରମ୍ପରିକ ପେନ ଏବଂ ପେପର୍ କିମ୍ୱା ଡେସ୍କଟପ କମ୍ପ୍ୟୁଟର ବଦଳରେ ହାତରେ ଧରିବା ଭଳି ଟାବଲେଟ୍ରେ ଡିଜିଟାଲ ଭାବେ ପରୀକ୍ଷା ଦିଅନ୍ତି।

ଟିବିଟି ପରୀକ୍ଷାରେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଦିଆଯାଇଥିବା ସୁରକ୍ଷିତ ଟଚ୍‌ସ୍କ୍ରିନ୍‌ ଟାବଲ୍ଟେରେ ପ୍ରଶ୍ନ ପଢ଼ନ୍ତି। ପରୀକ୍ଷାର୍ଥୀମାନେ ସିଧାସଳଖ ଟାବଲେଟ ସ୍କ୍ରିନରେ ଉତ୍ତର ଚୟନ କରିପାରିବେ। ଏହାର ସୁରକ୍ଷା ଏବଂ ସ୍ୱଚ୍ଛତା ଅତି ମଜବୁତ। ପ୍ରଶ୍ନଗୁଡ଼ିକ ଏନକ୍ରିପ୍ଟେଡ (Encrypted) ହୋଇ ରହିଥାଏ ଏବଂ ପରୀକ୍ଷା ଆରମ୍ଭ ହେବାର ମାତ୍ର କିଛି ମିନିଟ ପୂର୍ୱରୁ ହିଁ ଟାବଲେଟ୍ରେ ଲୋଡ କରାଯାଇଥାଏ, ଯାହାଦ୍ୱାରା ପେପର୍ ଲିକ ହେବା ଏବଂ କପି କରିବାର ଆଶଙ୍କା ବହୁତ କମିଯାଏ।

ଭାରତୀୟ ରେଳବାଇ କ୍ରମାଗତ ଏବଂ ସମୟାନୁବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟା ଜରିଆରେ ନିଜର ଶ୍ରମ ଶକ୍ତିକୁ ମଜବୁତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ରେଳବାଇ ଆର୍ଥିକ ବର୍ଷ ୨୦୨୫-୨୬ ରେ ଛଅଟି ବର୍ଗରେ ୪୭,୦୮୪ ଟି ଶୂନ୍ୟପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ କରି ୪୩,୭୮୧ ଜଣ ପରୀକ୍ଷାର୍ଥୀଙ୍କୁ ଚୟନ କରିଛି।

ରେଳବାଇ ଅନୁଯାୟୀ, ରେଳବାଇ ନିଯୁକ୍ତି ବୋର୍ଡର ନିଯୁକ୍ତି ପ୍ରକ୍ରିୟା ବେଶ ଜଟିଳ ଏବଂ ବ୍ୟାପକ ସ୍ତରରେ ହୋଇଥାଏ, ଯେଉଁଥିରେ ସାରା ଦେଶର ଅନେକ ସହର ଏବଂ କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଏ। ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷାଗୁଡ଼ିକ ବିଭିନ୍ନ ଭାଷାଭାଷୀ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଅନେକ ସିଫ୍ଟରେ ୧୫ଟି ଭାଷାରେ ଆୟୋଜନ କରାଯାଇଥାଏ। ଏହି ମଲ୍ଟି-ସିଟି, ମଲ୍ଟି-ସିଫ୍ଟ ଏବଂ ମଲ୍ଟି-ଲିଙ୍ଗୁଆଲ ସିଷ୍ଟମରେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ମଧ୍ୟରେ ନିରପେକ୍ଷତା, ମାନକୀକରଣ ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବଡ଼ ଆକାରରେ ସମନ୍ୱୟ ଏବଂ ମଜବୁତ ଟେକ୍ନୋଲୋଜି ବ୍ୟବସ୍ଥାର ଆବଶ୍ୟକତା ରହିଛି।