ରାୟଗଡ଼ା ଭିଡ ହିଂସା ମାମଲାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କଲେ ଡିଜିପି: ୨୩ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ ପିଲାଚୋରି (Child Theft) ସନ୍ଦେହରେ ଘଟିଥିବା ଅଭାବନୀୟ ଭିଡ଼ ହିଂସା (Mob Violence) ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ଡିଜି (DGP) ତୁରନ୍ତ ଏହି ମାମଲାକୁ ‘ରେଡ୍ ଫ୍ଲାଗ୍’ (Red Flag) ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୀଡ଼ିତ ଦୁଇ ଜଣ ହେଲେ ଦିଲ୍ଲୀର ଜଣେ ଯୁବକ ଏବଂ ଗୁଜରାଟର ଜଣେ ଯୁବତୀ। ଉଭୟ ଏକ ଏନଜିଓ (NGO)ର ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରନ୍ତି। ସେମାନେ ଗୋଟିଏ ସ୍କୁଟିରେ କନ୍ଧମାଳର ଦାରିଙ୍ଗବାଡ଼ିରୁ କଳାହାଣ୍ଡିର ଥୁଆମୂଳ ରାମପୁରକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗୁଗଲ୍ ମ୍ୟାପ୍ (Google Maps) ସାହାଯ୍ୟରେ ସର୍ଟକଟ୍ ରାସ୍ତା ଦେଇ ନାଗାବଳୀ ନଦୀ କୂଳରେ ପହଞ୍ଚିବା ବେଳେ ଜଣେ ବୟସ୍କ ବ୍ୟକ୍ତି ସେମାନଙ୍କୁ ସତର୍କ କରାଇଥିଲେ। ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ଖରାପ ରାସ୍ତା ଥିବାରୁ ସେ ସେହି ବାଟରେ ନଯାଇ ପଛକୁ ଫେରିଯିବାକୁ ପରାମର୍ଶ ଦେଇଥିଲେ।
ଫେରିବା ବାଟରେ ସିଲେଟ ପଞ୍ଚାୟତର ଡାଣ୍ଡପଦର ନିକଟରେ ସ୍କୁଟି ବନ୍ଦ ହୋଇଯାଇଥିଲା। ସେଠାରେ ୫-୬ ଜଣ ସ୍ଥାନୀୟ ଯୁବକ ସେମାନଙ୍କୁ ଘେରିଯାଇ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଯୁବକ ଓ ଯୁବତୀ ଜଣକ ହିନ୍ଦୀରେ ଉତ୍ତର ଦେବା ସହ ନିଜର ଏନଜିଓ ପରିଚୟ ପତ୍ର ଦେଖାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ ଯୁବକମାନେ ସେମାନଙ୍କ କଥା ନଶୁଣି ଜୋରଜବରଦସ୍ତ ଚାବି ଛଡ଼ାଇବାକୁ ଉଦ୍ୟମ କରିଥିଲେ।
ଯୁବକମାନଙ୍କ କବଳରୁ ଖସି ସେମାନେ ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସ୍ଥାନୀୟ ଯୁବକମାନେ ବାଇକରେ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ସେମାନଙ୍କୁ ପିଛା କରିଥିଲେ। ସେମାନେ ଫୋନ୍ ମାଧ୍ୟମରେ ଆଖପାଖ ଗାଁଗଣ୍ଡାରେ ଗୁଜବ ଖେଳାଇ ଦେଇଥିଲେ ଯେ “ଦୁଇ ଜଣ ପିଲାଚୋର ଖସି ପଳାଉଛନ୍ତି”। ଏହି ଗୁଜବ ବ୍ୟାପିବାରୁ ଉତ୍ୟକ୍ତ ଲୋକେ ସେମାନଙ୍କୁ ଖୋଜି ବାହାରିଲେ।
ସାଇନଗର ନିକଟରେ ସ୍କୁଟିର ଚକା ଖସିଯିବାରୁ ଦୁଇ ପୀଡ଼ିତ ଅଟକି ପଡ଼ିଥିଲେ। ଏହି ସୁଯୋଗରେ ଉତ୍ୟକ୍ତ ଲୋକେ ସେମାନଙ୍କୁ ଘେରିଯାଇ ବାଡ଼େଇବା ଆରମ୍ଭ କରିଦେଇଥିଲେ। କୌଣସି ପରିଚୟ ପତ୍ର ବା କଥା ନଶୁଣି ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଯୁବକ ଜଣକ କୌଣସିମତେ ସେଠାରୁ ଖସି ୩୦୦ ମିଟର ଦୂରରେ ଥିବା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ପୋଲିସ ଟିମ୍ ପହଞ୍ଚିବା ବେଳକୁ ଯୁବତୀ ଜଣକ ଅକଥନୀୟ ନିର୍ଯାତନାର ଶିକାର ହୋଇସାରିଥିଲେ। ଲୋକମାନେ ବର୍ବରତାର ସୀମା ପାର୍ କରି ତାଙ୍କ କପଡ଼ା ଚିରି ଦେବା ସହ ତାଙ୍କୁ ଚାରିଆଡ଼ୁ ଘୋଷାଡ଼ିଥିଲେ।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଡିଜିପି ମାମଲାକୁ ରେଡ୍ ଫ୍ଲାଗ୍ କରିବା ସହ ଏହାର ମନିଟରିଂ ଦାୟିତ୍ୱ ‘କ୍ରାଇମ୍ ଏଗନେଷ୍ଠଇମେନ୍’ (CAW) ଶାଖାକୁ ପ୍ରଦାନ କରିଛନ୍ତି। ଏଡିଜି (ADG) CAW ଏସ୍. ସାଇନିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ରାୟଗଡ଼ା ଗସ୍ତ କରିବେ। ଆବଶ୍ୟକ ପଡ଼ିଲେ ତଦନ୍ତ ପାଇଁ ଏହି ଟିମ୍ ଦିଲ୍ଲୀ ମଧ୍ୟ ଯାଇପାରିବେ।
ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ ୨୩ ଜଣଙ୍କୁ ଗିରଫ କରାଯାଇଛି। ଭାଇରାଲ୍ ଭିଡିଓ ଆଧାରରେ ଅନ୍ୟ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରାଯାଉଥିବାରୁ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ। ଘଟଣାସ୍ଥଳରେ ରାୟଗଡ଼ା ପୋଲିସର ତ୍ୱରିତ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନକୁ ପୋଲିସ ଡିଜି ଉଚ୍ଚ ପ୍ରଶଂସା କରିଛନ୍ତି। ସେହିପରି, ଯେଉଁମାନେ ଘଟଣାର ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛନ୍ତି, ସେମାନଙ୍କ ବିରୋଧରେ ଆଇଟି ଆକ୍ଟ (IT Act) ବଳରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦକ୍ଷିଣ-ପୂର୍ବାଞ୍ଚଳ ଡିଆଇଜି (DIG) ଅଖିଳେଶ୍ୱର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଜାରି ରହିଛି।
