୩ ମାସ ହେଲା ମିଳୁନାହିଁ ଭତ୍ତା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟରେ ଗତ ୩ ମାସ ହେଲା ବୃଦ୍ଧ-ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମମାନେ ସାମାଜିକ ସୁରକ୍ଷା ଭତ୍ତା ପାଇନାହାନ୍ତି। ଏହି ବିଳମ୍ବକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରାୟ ୧୮ ଲକ୍ଷ ହିତାଧିକାରୀ ଏହି ଭତ୍ତାରୁ ବଞ୍ଚିତ ରହିଥିବା ନେଇ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଗରିବ ଏବଂ ଅସହାୟ ଲୋକମାନେ ନିଜର ଦୈନନ୍ଦିନ ଗୁଜୁରାଣ ପାଇଁ ସମ୍ପୂର୍ଣ୍ଣ ଏହି ଭତ୍ତା ଉପରେ ନିର୍ଭର କରନ୍ତି। ତିନି ମାସ ଧରି ଟଙ୍କା ନମିଳିବାରୁ ସେମାନେ ଘୋର ସଙ୍କଟରେ ପଡ଼ିଥିବା ଏବଂ ଖାଇବାକୁ ନପାଇ ଭୋକିଲା ରହିବାର ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେ ଚିଠିରେ ଦର୍ଶାଇଛନ୍ତି।
ବିଳମ୍ବର କାରଣ ଭାବରେ ସରକାର ଏକ ସଫ୍ଟୱେୟାର ସମସ୍ୟାକୁ ଦର୍ଶାଉଥିବା ବେଳେ, ନବୀନ ଏହାକୁ ସରକାରଙ୍କ ‘ଘୋର ଅବହେଳା’ ଏବଂ ବିଫଳତା ବୋଲି ଅଭିହିତ କରିଛନ୍ତି। ସେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ସାବିତ୍ରୀ ଦୋରା ନାମକ ଜଣେ ବୃଦ୍ଧାଙ୍କ ପେନସନ ନପାଇ ମୃତ୍ୟୁ ଘଟଣାକୁ ମଧ୍ୟ ଚିଠିରେ ଉଲ୍ଲେଖ କରି ଏଭଳି ଘଟଣାକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ନିଜ ସରକାରର ୨୪ ବର୍ଷର ରେକର୍ଡକୁ ସ୍ମରଣ କରି କହିଛନ୍ତି ଯେ, ପୂର୍ବରୁ ପ୍ରତିମାସ ୧୫ ତାରିଖକୁ ‘ଜନ ସେବା ଦିବସ’ ରୂପେ ପାଳନ କରାଯାଉଥିଲା ଏବଂ ଗ୍ରାମପଞ୍ଚାୟତ ସ୍ତରରେ ସ୍ୱଚ୍ଛତାର ସହ ପେନସନ ବଣ୍ଟନ କରାଯାଉଥିଲା। ଏପରିକି ଅସହାୟମାନଙ୍କ ଘରେ ପହଞ୍ଚି ଅଧିକାରୀମାନେ ଭତ୍ତା ପ୍ରଦାନ କରୁଥିଲେ, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଥିଲେ।
ଶେଷରେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସମସ୍ତ ବକେୟା ପେନସନ ରାଶିକୁ ତୁରନ୍ତ ମାନୁଆଲ୍ (ହାତରେ) ପ୍ରଦାନ କରାଯାଉ। ଭବିଷ୍ୟତରେ ଏଭଳି ପରିସ୍ଥିତିର ପୁନରାବୃତ୍ତି ନହେବା ପାଇଁ ସରକାର ଉତ୍ତରଦାୟୀ ରହିବା ସହ ହିତାଧିକାରୀଙ୍କ ଅଧିକାର ସୁରକ୍ଷିତ ରଖିବା ଉଚିତ୍ ବୋଲି ସେ ଦାବି କରିଛନ୍ତି।
