ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ନୂତନ ଏସଓପି ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ଵିତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଏକ ମାନକ କାର୍ଯ୍ୟ ପ୍ରଣାଳୀ (SOP) ଜାରି କରିଛନ୍ତି।
ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଆଇନ, ୨୦୨୩, ରିଅଲ୍ ଇଷ୍ଟେଟ (ନିୟନ୍ତ୍ରଣ ଓ ବିକାଶ) ଆଇନ, ୨୦୧୬ ଏବଂ ପଞ୍ଜୀକରଣ ଆଇନ, ୧୯୦୮ର ବିଭିନ୍ନ ବ୍ୟାଖ୍ୟା କାରଣରୁ ସୃଷ୍ଟି ହୋଇଥିବା ଅସ୍ପଷ୍ଟତା ଦୂର କରିବା ସହ ରାଜ୍ୟବ୍ୟାପୀ ଏକ ସମାନ ପ୍ରକ୍ରିୟା ଅନୁସରଣ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ।
ନୂତନ SOP ଅନୁଯାୟୀ ଆପାର୍ଟମେଣ୍ଟ ସମ୍ବନ୍ଧୀୟ ପଞ୍ଜିକରଣକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି – (୧) ପ୍ରି-ରେରା (Pre-RERA) ଆପାର୍ଟମେଣ୍ଟର ପୁନଃ ବିକ୍ରୟ, (୨) ପ୍ରି-ରେରା ପ୍ରକଳ୍ପରେ ବିକ୍ରୟ ହୋଇନଥିବା ଫ୍ଲାଟର ପ୍ରଥମ ବିକ୍ରୟ, ଏବଂ (୩) ପୋଷ୍ଟ-ରେରା (Post-RERA) ଆପାର୍ଟମେଣ୍ଟ।
ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକୀୟ ଦଲିଲ ପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜିକରଣର ସର୍ତ୍ତାବଳୀ ଏହି SOPରେ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ କରାଯାଇଛି। ପୋଷ୍ଟ-ରେରା ଆପାର୍ଟମେଣ୍ଟ କ୍ଷେତ୍ରରେ ପଞ୍ଜିକରଣ ପୂର୍ବରୁ ଓଡ଼ିଶା ରେରା ପଞ୍ଜିକରଣ (ଯେଉଁଠି ପ୍ରଯୁଜ୍ୟ), ଅକ୍ୟୁପାନ୍ସି ସାର୍ଟିଫିକେଟ, ଆଲଟିମାନଙ୍କ ସଂଘର ପଞ୍ଜିକରଣ, ଧାରା-୯ ଅନୁଯାୟୀ ଘୋଷଣାପତ୍ରର ପଞ୍ଜୀକରଣ ଏବଂ ସାଧାରଣ କ୍ଷେତ୍ର ଓ ସୁବିଧାର ହସ୍ତାନ୍ତର ସମ୍ବନ୍ଧୀୟ ବ୍ୟବସ୍ଥା ପାଳନ ବାଧ୍ୟତାମୂଳକ କରାଯାଇଛି।
ଏଥିସହ ସମ୍ପୃକ୍ତ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ହିଁ ପଞ୍ଜିକରଣ ସମ୍ଭବ ହେବ। SOPରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ ପୃଥକ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଭୂମିକା ଓ ଦାୟିତ୍ୱ ମଧ୍ୟ ସ୍ପଷ୍ଟ କରାଯାଇଛି।
ମହିଳାଙ୍କ ନାମରେ ହେଉଥିବା ଆପାର୍ଟମେଣ୍ଟ ହସ୍ତାନ୍ତର କ୍ଷେତ୍ରରେ ପୂର୍ବରୁ ଚାଲୁଥିବା ୧% ଷ୍ଟାମ୍ପ ଶୁଳ୍କ ରିହାତି ସୁବିଧା ଜାରି ରହିବ। ସେହିପରି ଆଲଟିମାନଙ୍କ ସଂଘ ସପକ୍ଷରେ ସାଧାରଣ କ୍ଷେତ୍ର ଓ ସୁବିଧା ହସ୍ତାନ୍ତର ଦଲିଲ ପାଇଁ ନାମମାତ୍ର ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଫି ନିର୍ଦ୍ଧାରଣ କରାଯାଇଛି।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ନାଗରିକ-କୈନ୍ଦ୍ରିକ ହେବ। ଏହାଦ୍ୱାରା ଆପାର୍ଟମେଣ୍ଟ କ୍ରେତାଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସୁଶାସନ ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି।
